ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ଲୁଧିଆନାରେ କୁସ୍ତିଖେଳାଳି ‘ଗ୍ରେଟ୍ ଖଲି’ଙ୍କ ମା’ ତାଣ୍ଡୀ ଦେବୀଙ୍କର ଦେହାନ୍ତ
ନୂଆଦିଲ୍ଲୀ: ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ଲୁଧିଆନାର ‘ଦୟାନନ୍ଦ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍’ରେ ରବିବାର ଦିନ ପୂର୍ବତନ ‘ଡବ୍ଲୁଡବ୍ଲୁଇ’ ଚାମ୍ପିୟନ୍ ‘ଦି ଗ୍ରେଟ୍ ଖଲି’ଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।
ପ୍ରେସ୍ ରିଲିଜ୍ରେ ଲୁଧିଆନାର ‘ଡିଏମ୍ସି ହସ୍ପିଟାଲ୍’ କହିଛି, ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ପହିଲମାନ ଖଲିଙ୍କ ମାତା ମୃତ୍ୟୁବରଣ କରିଛନ୍ତି।
ଗତ ଦୁଇ ବର୍ଷ ହେବ ଖଲିଙ୍କ ମା’ ଶ୍ବାସପ୍ରଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଜଳନ୍ଧରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଥିଲା।
Image Courtesy of Sports News18
ଗତ ସପ୍ତାହରେ ତାଙ୍କୁ ଲୁଧିଆନା ସ୍ଥାନାନ୍ତର କରାଯାଇ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ହିମାଚଳ ପ୍ରଦେଶର ଶିରମୌର୍ ଜିଲ୍ଲା ଅନ୍ତର୍ଗତ ଖଲିଙ୍କ ପୈତୃକ ଗ୍ରାମ ଧିରାଇନାରେ ଆଜି ତାଙ୍କ ମାତାଙ୍କର ଅନ୍ତିମ ସଂସ୍କାର କରାଯିବ।
‘ଦି ଗ୍ରେଟ୍ ଖଲି’ ଭାବେ ସୁପରିଚିତ ଦିଲୀପ ସିଂହ ରାଣା ପ୍ରଥମେ ୨୦୦୦ରେ ପେସାଦାର କୁସ୍ତିରେ ସାମିଲ ହୋଇଥିଲେ। ପଞ୍ଜାବର ପୂର୍ବତନ ପୁଲିସ ଅଧିକାରୀ ଥିବା ‘ଗ୍ରେଟ୍ ଖଲି’ ୨୦୦୬ରୁ ୨୦୧୪ ପର୍ଯ୍ୟନ୍ତ ‘ଡବ୍ଲୁଡବ୍ଲୁଇ’ ସହ ସମ୍ପୃକ୍ତ ଥିଲେ। ସେଥିରେ ସେ ଅପରାଜେୟ ଭାବେ ଅଗ୍ରସର ହୋଇଥିଲେ କିନ୍ତୁ, ୨୦୦୭ ‘ୱାନ୍ ନାଇଟ୍ ଷ୍ଟାଣ୍ଡ୍’ରେ ଜନ୍ ସିନା ତାଙ୍କୁ ପରାସ୍ତ କରିଥିଲେ।
The post ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ଲୁଧିଆନାରେ କୁସ୍ତିଖେଳାଳି ‘ଗ୍ରେଟ୍ ଖଲି’ଙ୍କ ମା’ ତାଣ୍ଡୀ ଦେବୀଙ୍କର ଦେହାନ୍ତ first appeared on Sambad.