ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ନିର୍ମାଣ
କଟକ : ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଡ୍ରୋନର ସାହାଯ୍ୟ ନିଆଯିବ। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଓ ଆଇ ଡ୍ରୋନର ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି। ଏହାର ନାମ ‘ଆଇଜି ଡ୍ରୋନ୍ ଡେଲଟା ୪୦୦’ ରହିଛି।
ଏହି ଡ୍ରୋନ୍ ୫୦ କିଲୋମିଟର ଯାତ୍ରା କରିବା ସହିତ ଏକା ସାଙ୍ଗରେ ୪ କେଜି ଓଜନର ଜିନିଷ ନେବାର କ୍ଷମତା ରଖିଛି। ଏହା ଲଗାତାର ଭାବେ ୩ଘଣ୍ଟା ଉପରେ ଉଡ଼ିପାରିବ। ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ବ୍ୟବହାର କରି ଛାତ୍ରଛାତ୍ରୀ ଏହାକୁ ପ୍ରସ୍ତୁତ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ଦୁଇଟି ଡ୍ରୋନ ପ୍ରସ୍ତୁତ ହୋଇଛି। ଡ୍ରୋନ୍ରେ ଟିକା ରଖିବା ପାଇଁ ଏକ ବକ୍ସର ବ୍ୟବସ୍ଥା କରାଯାଇଛି। ଏହା ରିମୋଟ୍ ଦ୍ବାରା ପରିଚାଳିତ ହେବ ନାହିଁ। ମାତ୍ର ଏଥିରେ ପ୍ରୋଗ୍ରାମିଂ ଫିକ୍ସ୍ କରାଯାଇଛି, ଯାହା ଏହାକୁ ନିୟନ୍ତ୍ରଣ କରିବ। ଟିକା ବିତରଣ ପାଇଁ ଡିଜିସିଏର ଅନୁମତି ମିଳିଥିବା ବେଳେ ଖୁବଶୀଘ୍ର ଏହା ଓଡ଼ିଶାବାସୀଙ୍କ ସେବାରେ ଲାଗିବ ବୋଲି ନିର୍ମାତା କହିଛନ୍ତି। ପୂର୍ବରୁ ଓଏମ୍ସିର ସୀମା ନିର୍ଦ୍ଧାରଣ ପାଇଁ ଏହାର ବ୍ୟବହାର ହୋଇଥିଲା। ଉକ୍ତ ଡ୍ରୋନ୍ରେ ସ୍ବତନ୍ତ୍ର ଫିଚର୍ସ ସହ ଏହାକୁ ସାମଗ୍ରୀ ବହନ କରିବା ପାଇଁ ପ୍ରସ୍ତୁତ ହୋଇଛି।
The post ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ନିର୍ମାଣ first appeared on Sambad.