ଇବ୍ରାହିମ୍ ରଇସି ନିର୍ବାଚନ ଜିଣିବା ପରେ ଆମେରିକା କହିଲା, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ଇରାନୀୟମାନଙ୍କର ସୁଯୋଗ ନ ଥିଲା
ୱାସିଂଟନ୍: ଦେଶର ରାଷ୍ଟ୍ରପତୀୟ ନିର୍ବାଚନରେ ଇରାନୀୟମାନେ ‘ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା’ରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇ ନ ଥିବାରୁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଦୁଃଖ ପ୍ରକଶ କରିଛି।
ଉଗ୍ର ରକ୍ଷଣଶୀଳ ମୌଲବୀ ଇବ୍ରାହିମ୍ ରଇସି ନିର୍ବାଚନ ଜିଣିବା ପରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ଆପଣାର ନେତା ଚୟନ କରିବା ଅଧିକାରରୁ ଇରାନୀୟମାନଙ୍କୁ ବଞ୍ଚିତ କରାଗଲା।
Image Courtesy of NDTV
ଇରାନ୍ ନିର୍ବାଚନରେ ବହୁ ପ୍ରଭାବଶାଳୀ ରାଜନେତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ସୁଯୋଗ ଦିଆଗଲା ନାହିଁ। ରଇସି ହେଉଛନ୍ତି ଇରାନ୍ରେ ଅଖଣ୍ଡ ରାଜନୈତିକ କ୍ଷମତା ଧାରଣ କରିଥିବା ୮୧ ବର୍ଷିୟ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କର ଘନିଷ୍ଠ।
୪୦ ମହିଳା, ଜଣେ ପୂର୍ବତନ ରାଷ୍ଟ୍ରପତି ଏବଂ ଜଣେ ପାର୍ଲାମେଣ୍ଟ୍ ବାଚସ୍ପତିଙ୍କ ସମେତ ୬୦୦ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୭ଜଣ ପୁରୁଷଙ୍କୁ ଚୟନ କରାଯାଇ ବାକି ସମସ୍ତଙ୍କୁ ନାକଚ କରାଯିବାରୁ ଅନେକ ଭୋଟର୍ ଭୋଟ୍ ଦେଲେ ନାହିଁ। ଶୁକ୍ରବାର ଦିନ ଅନୁଷ୍ଠିତ ଭୋଟ୍ର ମାତ୍ର ଦୁଇ ଦିନ ପୂର୍ବରୁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ପୁଣି ତିନିଜଣଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ବାହାର କରି ଦିଆଗଲା।
The post ଇବ୍ରାହିମ୍ ରଇସି ନିର୍ବାଚନ ଜିଣିବା ପରେ ଆମେରିକା କହିଲା, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ଇରାନୀୟମାନଙ୍କର ସୁଯୋଗ ନ ଥିଲା first appeared on Sambad.