ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ଦୁଇ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ଦୁଇ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ : ଆଉ ଦୁଇଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ନୀତି ନିର୍ଘଣ୍ଟ ପରେ ପ୍ରସ୍ତୁତିପର୍ବ ଜୋରସୋରରେ ଆଗେଇ ଚାଲିଛି। ବୁଧବାରଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଆରମ୍ଭ ହେଉଥିବାବେଳେ ଏଥିପାଇଁ ଦଇତାପତି ସେବକମାନେ ସଜବାଜ ହୋଇଛନ୍ତି। ରଥଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ପାଇଁ ମଙ୍ଗଳବାର ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବାକୁ ଯାଉଛି।

ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ବର୍ଷକୁ ଗୋଟିଏ ମାସ ରଥଯାତ୍ରାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ପୂର୍ଣ୍ଣ ସେବା କରିବାର ସୌଭାଗ୍ୟ ପାଇଥାନ୍ତି। ମଙ୍ଗଳବାର(ଜୁଲାଇ ୨୨)ଠାରୁ ଏହି ସେବା ଆରମ୍ଭ ହେଉଛି। ପରମ୍ପରା ଅନୁଯାୟୀ, ଆସନ୍ତାକାଲି ମଙ୍ଗଳାଆଳତି ପରେ ପରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ରଥଯାତ୍ରା ‌ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା। ପ୍ରଥମେ ଦେବସ୍ନାନ ପୂର୍ଣ୍ଣିମାରୁ ଏହି ସେବା ଆରମ୍ଭ ହୋଇଥାଏ। ଏଥିପାଇଁ ଆସନ୍ତାକାଲି ମଙ୍ଗଳାଆଳତି ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ହେବ। ଆସନ୍ତାକାଲି ଦଇତାପତି ପ୍ରବେଶ ନୀତି ପରେ ସଂଧ୍ୟା ଆଳତି ପରେ ପରେ କୋଠ ସୁଆଁସିଆଁମାନେ ସେନାପଟା ଲାଗି ପାଇଁ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ। ବଉଳକଣ୍ଟ ନୀତି ଅନୁଷ୍ଠିତ ହେବ। ପରଦିନ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ଏହି କଟକଣା ଜୁନ ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଆଦେଶର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସାକ୍ଷୀଗୋପାଳରୁ ଆସିଲା ବଉଳ କାଠ
ସାକ୍ଷୀଗୋପାଳ/ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ଆବଶ୍ୟକ ବଉଳ କାଠ ସୁସଜ୍ଜିତ ଶଗଡ଼ରେ ସାକ୍ଷୀଗୋପାଳସ୍ଥିତ ମହାପ୍ରଭୁଙ୍କ ଅଜାଙ୍କ ବଗିଚାରୁ ବାହାରି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆଜି ରାତି ସାଢ଼େ ୯ଟାରେ ସୁସଜ୍ଜିତ ଶଗଡ଼ ରଥଖଳାଠାରେ ପହଞ୍ଚିବା ପରେ ଏହି ବଉଳ କାଠକୁ ସାଇତି ରଖାଯାଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ବି ବକୁଳ ବନରୁ ବଉଳ କାଠ ଚିହ୍ନଟ ପରେ ଉତ୍ତରପାର୍ଶ୍ବ ମଠ ମହନ୍ତଙ୍କ ସମେତ ରଥ ତତ୍ତ୍ବାବଧାରକ, ଭୋଇ ସେବକ, କରତି ସେବକଙ୍କ ଉପସ୍ଥିତ‌ିରେ ପୁରୀ ଅଭିମୁଖେ ମେଲାଣି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଆବଶ୍ୟକ ବଉଳ ଗଛ ସାରୁ ଗାଡ଼ିଆ ଗ୍ରାମ ନିକଟ ବକୁଳ ବନ ମଧ୍ୟରେ ଚି଼ହ୍ନଟ ହୋଇଥିଲା।

The post ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ଦୁଇ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp