ଆଜି ବିଶ୍ବ ଯୋଗ ଦିବସ; ଯୋଗ ଆଗରେ ହାର୍ ମାନିଛି ବ୍ୟାଧି, ବୟସ
କଟକ: ଯୋଗ କଲେ ମଣିଷ ସୁସ୍ଥ ଓ ନିରୋଗୀ ରୁହେ। ଯୋଗ ଶରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମିକ ଆନନ୍ଦ ପ୍ରଦାନ କରିଥାଏ। ଏଥି ପାଇଁ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଯୋଗକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି। ଅଧୁନିକ ମଣିଷ ମଧ୍ୟ ବ୍ୟସ୍ତମୟ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିଛି। ଏବେ ସହରଠୁ ଗାଁ ସବୁ ଆଡେ ଯୋଗକେନ୍ଦ୍ର ଖୋଲାଯିବା ସହ ବହୁ ଲୋକ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। କଟକର ଅଲିଶାବଜାର ଯୋଗ କେନ୍ଦ୍ର, ବାରବାଟୀ ଯୋଗ ଆସୋସିଏସନ୍, ପତଞ୍ଜଳି ଯୋଗ ସମିତି, କଳିଙ୍ଗ ଜିମ୍ନାସିୟମ, ତୁଳସୀପୁର ଡିୟର ପାର୍କ ନିକଟ, ଆଦି ଅନେକ ସ୍ଥାନରେ ଲୋକମାନେ ଦୈନିକ ଯୋଗାଭ୍ୟାସ କରୁଛନ୍ତି। ଯୋଗକୁ ଦିନଚର୍ଯ୍ୟାରେ ସାମିଲ କରି ବୟସ ଓ ରୋଗକୁ ପରାସ୍ତ କରିଥିବା କିଛି ବ୍ୟକ୍ତିଙ୍କ କାହାଣୀ……
୯୬ ବର୍ଷ ବୟସରେ ସାଇକଲ ଚଳାଉଛନ୍ତି ନିରଂଜନ
ତୁଳସୀପୁର ମଧୁସୂଦନନଗର ବାସିନ୍ଦା ନିରଂଜନ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ। ବୟସ ୯୬ ଛୁଇଁଲାଣି। ୨୦ ବର୍ଷ ହେଲା ବାରବାଟୀ ଯୋଗ ଆସୋସିଏସନ୍ ଅଧୀନରେ ସତ୍ୟବ୍ରତ ଷ୍ଟାଡିୟମରେ ସେ ଯୋଗ ଅଭ୍ୟାସ କରୁଛନ୍ତି। ଏବେ ଲକ୍ଡାଉନ୍ ପାଇଁ ପ୍ରତିଦିନ ଦେଢ ଘଣ୍ଟା ଘରେ ଯୋଗ ଅଭ୍ୟାସ କରୁଛନ୍ତି। ଆରାମରେ ସାଇକଲ ଚଳାଇବା ସହିତ ସ୍କୁଟର ଓ ଲୁନା ଚଳାଇ ପାରୁଛନ୍ତି ନିରଂଜନ। ମାଛ, ମାଂସ, ଅଣ୍ଡା ଭଳି ସବୁ ପ୍ରକାର ଖାଦ୍ୟ ସେ ଖାଆନ୍ତି। ରକ୍ତ ସର୍କରା, ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି କୌଣସି ରୋଗ ତାଙ୍କର ନାହିଁ। ଖାଦ୍ୟ ତାଙ୍କର ସହଜରେ ହଜମ ହୋଇଥାଏ ବୋଲି ସେ କୁହନ୍ତି। ଏହି ପରିଣତ ବୟସରେ ବି ସେ ମଧୁସୂଦନ ନଗର ଉନ୍ନୟନ ସମିତିର କୋଷାଧ୍ୟକ୍ଷ ଅଛନ୍ତି ଓ ବାରବାଟୀ ଯୋଗ ଆସୋସିଏସନର କୋଷାଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁସାରେ ଯୋଗ ହିଁ ମତେ ସୁସ୍ଥ, ସବଳ ଓ ସଚଳ ରଖିଛି।
୯୪ ବର୍ଷରେ ବଟକୃଷ୍ଣ ସଂପୂର୍ଣ୍ଣ ସୁସ୍ଥ
ଅଲିଶାବଜାର ପୂଜା କମିଟିର ପୂର୍ବତନ ସଂପାଦକ ବଟକୃଷ୍ଣ ବେହେରା (୯୪) ଜଣେ କୁସ୍ତି ଚାମ୍ପିଅନ୍। ନିରାମିଶ ଭୋଜନ କରିବା ସହ ପ୍ରତିଦିନ ହଳଦୀ, କିସମିସ୍ ଓ ଆଲମଣ୍ଡ ମିଶାଇ କ୍ଷୀର ପିଇଥାନ୍ତି। ଦୁଇ/ତିନିବର୍ଷ ହେବ ସେ ଯୋଗ ଅଭ୍ୟାସ କରୁଛନ୍ତି। ରକ୍ତ ସର୍କରା, ରକ୍ତଚାପ, ଆଣ୍ଠୁଗଣ୍ଠି ଭଳି ରୋଗ ତାଙ୍କର ନାହିଁ। ଲକ୍ଡାଉନ ପୂର୍ବରୁ ସେ ସାଇକଲ ଧରି ବିଭିନ୍ନ ସ୍ଥାନକୁ ଯାଉଥିଲେ। ଯୁବାବସ୍ଥାରେ ବଟକୃଷ୍ଣ କୁସ୍ତିରେ ଶ୍ରୀଲଙ୍କା ଦଳକୁ ପରାସ୍ତ କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିଲେ। ଶ୍ରୀ ବେହେରାଙ୍କ କହିବା ଅନୁସାରେ ଯୋଗ କରିବି ନାହିଁ ତ ଆଉ କଣ କରିବି? ଯୋଗ ତାଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି ବୋଲି ସେ କହନ୍ତି।
ଯୋଗ ପାଇଁ ଟ୍ୟୁମର୍ରୁ ମୁକ୍ତ ହେଲେ ଶଶିକାନ୍ତ
ଚାନ୍ଦିନୀଚୌକ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଶଶିକାନ୍ତ ହୋତା(୬୪) ଜଣେ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଅଧିକାରୀ। ତାଙ୍କ ତଳିପେଟରେ ଏକ ମାଂସ ବଢିଥିଲା। ଡାକ୍ତରଙ୍କ ପରାମର୍ଶ କରନ୍ତେ ଏଥିରେ କିଛି ଅସୁବିଧା ନାହିଁ ବୋଲି ସେମାନେ କହିଥିଲେ। କିନ୍ତୁ ଶଶିକାନ୍ତଙ୍କ ମନ ବୁଝି ନଥିଲା। ଅଲିଶାବଜାର ଯୋଗ କେନ୍ଦ୍ରର ଯୋଗଗୁରୁ ମନମୋହନ ବେହେରାଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କଲେ। ଯୋଗଗୁରୁ ଶ୍ରୀ ବେହେରା ପ୍ରତିଦିନ ଯୋଗ କରିବାକୁ ପରାମର୍ଶ ଦେଲେ। ଅଲିଶାବଜାର କେନ୍ଦ୍ରରେ ଶ୍ରୀ ହୋତା ଯୋଗ ଅଭ୍ୟାସ ଆରମ୍ଭ କରିଲେ। ଦୁଇ ତିନି ମାସ ଭିତରେ ତଳି ପେଟରେ ବଢୁଥିବା ମାସଂଟି କମି ଗଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଶ୍ରୀ ହୋତା କହିଛନ୍ତି।
କରୋନାକୁ ହରାଇଲେ ଡାକ୍ତର ଧୀରେନ୍ଦ୍ର ପଟ୍ଟନାୟକ
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ସରକାରୀ ଚାକିରିରୁ ଅବସର ନେଇଥିବା ଡାକ୍ତର ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବୟସ ୮୦। ୨୦୦୩ରୁ ସେ ଯୋଗ ଅଭ୍ୟାସ କରୁଛନ୍ତି। ପୂର୍ବରୁ ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ଦେଖା ଦେଇଥିବା ବେଳେ ଯୋଗ କରିବା ଦ୍ବାରା ସେ ଆରୋଗ୍ୟ ଲାଭ କରିଛନ୍ତି। ସେ ଦ୍ବତୀୟ ଲହରରେ କରୋନା ସଂକ୍ରମିତ ହୋଇଥିଲେ। ଅଶ୍ବିନୀ ହସ୍ପିଟାଲ ଆଇସିୟୁରେ ପାଖାପାଖି ୭/୮ ଦିନ ରହିଲେ। ସେ ଏବେ ସଂପୂର୍ଣ୍ଣ ରୋଗମୁକ୍ତ। ପୁଣି ସେ ଯୋଗ ଅଭ୍ୟାସ ଜାରି ରଖିଛନ୍ତି। ଡାକ୍ତର ପଟ୍ଟନାୟକଙ୍କ କହିବା ଅନୁସାରେ ଏହି ବୟସରେ ଯେଉଁମାନଙ୍କୁ କରୋନା ହେଉଛି ସେମାନେ ପ୍ରାୟ ଆଖି ବୁଜୁଛନ୍ତି। ଯେଉଁମାନେ ବଞ୍ଚୁଛନ୍ତି ଦୁର୍ବଳତା ତାଙ୍କୁ ଛାଡୁନି। କିନ୍ତୁ ମୋର କୌଣସି ଦୁର୍ବତଳା ନାହିଁ ଓ ଯୋଗ କରି ସଂପୂର୍ଣ୍ଣ ସୁସ୍ଥ ଅଛି।
The post ଆଜି ବିଶ୍ବ ଯୋଗ ଦିବସ; ଯୋଗ ଆଗରେ ହାର୍ ମାନିଛି ବ୍ୟାଧି, ବୟସ first appeared on Sambad.