ଆଜିଠୁ ୟୁ-ଟ୍ୟୁବ୍ରେ ପାଠପଢ଼ା
ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ବ୍ୟାହତ ହୋଇଛି ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା । ଯାହାକୁ ଦୃଷ୍ଟିରେ ରଖି ଆଜି ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ୍ରେ ଶିକ୍ଷାଦାନ।
ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। କେଉଁ ଦିନ କେଉଁ ବିଷୟର ପାଠପଢ଼ା ହେବ, ସେନେଇ ରୁଟିନ୍ ପ୍ରକାଶ କରାଯାଇଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁନ୍ ୨୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦିନକୁ ୪ଟି ପିରିୟଡ୍ ହେବ।
ସେହିପରି ସୋମବାରଠାରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ୟୁଟ୍ୟୁବ୍ରେ ହେବ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ, ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ୍ କଲ୍ ମାଧ୍ୟମରେ ଦୂର କରିବେ। କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ରେ ପଢ଼ିଲେ ସ୍କୁଲ ଶିକ୍ଷକ ତାହାର ତଥ୍ୟ ରଖିବେ।
ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସ୍ଆପ୍ରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ। ସେଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ।