ଅବଧି ପୂର୍ବରୁ ମୁକୁଳିବେ ୧୬ ଆଜୀବନ କଏଦୀ

ଅବଧି ପୂର୍ବରୁ ମୁକୁଳିବେ ୧୬ ଆଜୀବନ କଏଦୀ

ଭୁବନେଶ୍ବର : ଅବଧି ଶେଷ ହେବା ପୂର୍ବରୁ ମୁକୁଳିବାକୁ ଯାଉଛନ୍ତି ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟୁଥିବା ୧୬ କଏଦୀ। ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ପ୍ରଭୃତି ସଙ୍ଗିନ ଅପରାଧରେ ୧୪ ବର୍ଷ ବା ତାଠାରୁ ଅଧିକ ସଜା କାଟି ସାରିବା ପରେ ମୁକୁଳିବା ପାଇଁ ସେମାନେ କରିଥିବା ଆବେଦନ ଉପରେ ରାଜ୍ୟ ଦଣ୍ଡ ସମୀକ୍ଷା କମିଟି ମୋହର ମାରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ବିଶାଖାପାଟଣା ଜେଲରୁ, ବାଲେଶ୍ବର ଓ ବାରିପଦା ଜେଲ୍‌ରୁ ୨ଜଣ ଲେଖାଏଁ ଏବଂ ଚୌଦ୍ବାର, ବାଣପୁର, ସମ୍ବଲପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର,କୋଟପାଡ଼, ଜାମୁଝରୀ ମୁକ୍ତାକାଶ ଜେଲ୍‌ର ଜଣେ ଲେଖାଏଁ କଏଦୀ ରହିଛନ୍ତି। ଏହି ସବୁ ଜେଲ୍‌କୁ ଆଜି ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ବିଶାଖାପାଟଣା‌ରେ ସଜା କାଟୁଥିବା ୩ ଜଣ କଏଦୀ ଆନ୍ଧ୍ର ଶ୍ରୀକାକୁଲମ୍‌ର ବାସିନ୍ଦା। ୧୯୯୨ ମସିହାରେ ସେମାନେ ପାରଳାଖେମୁଣ୍ଡିର ଚିନ୍ତାପଲ୍ଲୀ ଗ୍ରାମରେ ପଶି ଡକାୟତି କରିଥିଲେ। ଲୁଟ୍‌ପାଟ୍‌ କରିବା ପରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିଲେ। ସେହି ବର୍ଷ ତିନିଜଣଙ୍କୁ ଆନ୍ଧ୍ରରୁ ଗିରଫ କରାଯାଇଥିବା ବେଳ‌େ ୧୯୯୪ ମସିହାରେ ସେମାନଙ୍କୁ ଆଜୀବନ ସଜା ହୋଇଥିଲା। ସେମାନେ ହାଇକୋର୍ଟରେ ଅପିଲ କରିଥିଲେ ମଧ୍ୟ ତଳ କୋର୍ଟର ଆଦେଶ କାଏମ୍‌ ରହିଥିଲା। ସେବେଠାରୁ ଏହି ତିନିଜଣ ଜେଲ୍‌ରେ ସଜା କାଟୁଛନ୍ତି। ତେବେ ସେମାନଙ୍କ ଘର ଆନ୍ଧ୍ର ପ୍ରଦେଶ ହୋଇଥିବାରୁ ସେଠାକାର ଜେଲ୍‌‌ରେ ରହିବା ପାଇଁ ସେମାନେ ଆବେଦନ କରିଥିଲେ। ୧୯୯୬ ମସିହାରେ ସେମାନଙ୍କୁ ବିଶାଖାପାଟଣା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେମାନେ ମୁକୁଳିବାକୁ ସ୍ବୀକୃତି ପାଇଛନ୍ତି। ଅନ୍ୟ ୧୩ ଜଣଙ୍କ ମଧ୍ୟରେ ମଧ୍ୟ ଏଭଳି ଦୁର୍ଦ୍ଦାନ୍ତ ଅପରାଧୀ ରହିଛନ୍ତି।

ଉଲ୍ଲେଖନୀୟ, ଆଜୀବନ ଦଣ୍ଡାଦେଶ ପାଇଥିବା କଏଦୀମାନେ ୧୪ ବର୍ଷ ଜେଲ୍‌ ଭିତରେ ସଜା କାଟିବା ପରେ ମୁକୁଳିବା ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଆଧାରରେ କଏଦୀମାନେ ସରକାରଙ୍କୁ (ଆଇନ ବିଭାଗକୁ) ଆବେଦନ କରିବା ପରେ ସମ୍ପୃକ୍ତ ଜେଲ୍‌, ଥାନା, ଏସ୍‌ପି ଓ ଜିଲ୍ଲାପାଳଙ୍କ ନିକଟରୁ ରିପୋର୍ଟ ମଗାଯା‌ଏ। ଜେଲ୍‌ରେ ଥିବା ସମୟରେ ସେମାନଙ୍କର ଆଚରଣ ଓ ପାରୋଲ୍‌ ସମୟର ଶୃଙ୍ଖଳା ନେଇ ଜେଲ୍‌ ରିପୋର୍ଟ ପ୍ରଦାନ କରୁଥିବା ବେଳେ ସେମାନେ ଫେରିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟାଘାତ ହେବ କି ନାହିଁ ଥାନା ତଥା ଏସ୍‌ପି ରିପୋର୍ଟ ପ୍ରଦାନ କରନ୍ତି। ରିପୋର୍ଟ ଆଧାରରେ ରାଜ୍ୟ ଦଣ୍ଡ ସମୀକ୍ଷା କମିଟି ଆବେଦନର ବିଚାର କରିବା ପରେ କମିଟି ନିଷ୍ପତ୍ତି ରାଜ୍ୟପାଳଙ୍କ ସ୍ବୀକୃତି ପାଇଁ ପଠାଯାଏ। ଏହାପରେ ସେମାନେ ଜେଲ୍‌ରୁ ମୁକୁଳିବାକୁ ସକ୍ଷମ ହୁଅନ୍ତି।

The post ଅବଧି ପୂର୍ବରୁ ମୁକୁଳିବେ ୧୬ ଆଜୀବନ କଏଦୀ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp