ଅନ୍ତଃଜିଲ୍ଲା ସାଇବର ଠକକୁ ଧରିଲା ପୁଲିସ, ମୋବାଇଲ ଓ ସିମ୍ ସହ ପାସବୁକ୍ ଜବତ
ଝାରସୁଗୁଡା: ଏକ ଅନ୍ତଃଜିଲ୍ଲା ସାଇବର ଠକକୁ ଝାରସୁଗୁଡା ଟାଉନ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲା ସୋରଡ଼ା, ନୂଆଁଗାର ସୁନିଲ ରାଉତରାୟ ଓରଫ କାର୍ତ୍ତିକ(୩୩) ବୋଲି ଜଣାପଡିଛି । ଗତକାଲି ପୁଲିସ କଟକ ବଇଦେଶ୍ବର ନିକଟରୁ ସୁନିଲକୁ ଗିରଫ କରି ଝାରସୁଗୁଡ଼ା ଆଣିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଏହି ଠକେଇ ସଂପର୍କରେ ସୂଚନା ଦେଇଛନ୍ତି ।
ସୁନିଲ ପୁଲିସ ଆଗରେ ଠକେଇ କରିଥିବା ସ୍ବୀକାର କରିଥିବା ବେଳେ ତା’ପାଖରୁ ୨୮ଟି ବିଭିନ୍ନ କମ୍ପାନୀର ସିମ କାର୍ଡ, ୧୧ଟି ମୋବାଇଲ ଫୋନ, ୧୪ଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ୧୫ଟି ବିଭିନ୍ନ ବ୍ୟାଙ୍କର ଚେକ ବୁକ, ୩ଟି ପାସବୁକ ଜବତ ହୋଇଥିଲା। ସୁନିଲ ରାଜ୍ୟର ବିଭିନ୍ନ ସ୍ଥାନରେ ନିରୀହ ଲୋକଙ୍କଠାରୁ ଠକେଇ କରୁଥିଲା । ଝାରସୁଗୁଡ଼ା ଥାନାରେ ୫ଟି ଓ ବନହରପାଲି ଥାନାରେ ଗୋଟିଏ ମିଶି ମୋଟ ୬ ଟି ମାମଲା ତା ନମାରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଥାନାରେ ମଧ୍ୟ ମାମଲା ରହିଛି। ଗତ ମଇ ମାସରେ ଝାରସୁଗୁଡାର ଜଣେ ହୋମିଓପ୍ୟାଥି ଡାକ୍ତର ଦେବଶ୍ଳୋକ ଶର୍ମାଙ୍କଠାରୁ ୧୦ ହଜାର ଟଙ୍କା ଠକେଇ କରିଥିବା ନେଇ ଟାଉନଥାରେ ଅଭିଯୋଗ ହୋଇଥିଲା।
ପୁଲିସ କେସ ନମ୍ବର ୨୬୨/୨୯.୫.୨୧ରେ ମାମଲା ରୁଜୁ କରି ଏସ୍ପି ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ସାଇବର ଏକ୍ସପାର୍ଟ ଅଧିକାରୀଙ୍କ ସହାୟତାରେ ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୋଗରୁ ପ୍ରକାଶ ଯେ, ସୁନିଲ ଡା ଶର୍ମାଙ୍କୁ ଫୋନ କରି ନିଜକୁ ତାଙ୍କର ଏକ ସାଙ୍ଗ ଅବସରପ୍ରାପ୍ତ ଅଧ୍ୟାପକ କେ.ସି. ନାଏକଙ୍କ ପରିଚୟ ଦେଇ ୧୦ ହଜାର ଟଙ୍କା ଗୁଗୁଲ ପେରେ ମାଗିବା ସହ ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲା । ଶ୍ରୀ ଶର୍ମା ସୁନିଲ କଥାରେ ରାଜି ହୋଇ ଟଙ୍କା ପଠାଇବା ପରେ ସୁନିଲ ତାର ଫୋନ ସୁଇଚଅଫ କରି ଦେଇଥିଲା । ଏନେଇ ଶ୍ରୀ ଶର୍ମା ଝାରସୁଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ସୁନିଲର ରିମାଣ୍ଡ ଆବେଦନ କରାଯିବାବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନାଦେଇଛନ୍ତି ।
The post ଅନ୍ତଃଜିଲ୍ଲା ସାଇବର ଠକକୁ ଧରିଲା ପୁଲିସ, ମୋବାଇଲ ଓ ସିମ୍ ସହ ପାସବୁକ୍ ଜବତ first appeared on Sambad.