ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଗତ କାଲି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ସିକେରକୁପାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟିର ଲୋକନାଥପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କୌଣସି ଏକ ଅଜଣା ଗାଡି ଧକ୍କାରେ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ କାଉଗୁଡାର ଗଜିନ୍ଦ୍ର ହରିଜନ(୩୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଆଜି ଅପରାହ୍ନରେ ଗଜିନ୍ଦ୍ର ନିଜ ଗାଁରୁ ବାହାରି ଏକ ଗ୍ଲାମର ବାଇକରେ ନିଜ ଶ୍ୱଶୁର ଘର ଜଗନ୍ନାଥପୁର ଯାଉଥିଲେ । ଏହି ସମୟରେ ତାଙ୍କୁ ଲୋକନାଥପୁର ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ସହ ତାଙ୍କୁ କିଛି ଦୂର ଘୋଷାଡି ନେଇଥିଲା । ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ମୃତ ଗଜିନ୍ଦ୍ର ଜଣେ ଟାଇଲ୍ସ ମିସ୍ତ୍ରୀ ଭାବେ ଅଞ୍ଚଳରେ ଲୋକପ୍ରିୟ ଥିବାବେଳେ ତାଙ୍କ ମୃତ୍ୟୁ ଖବର ଶୁଣି ଆଖପାଖର ଲୋକେ ରୁଣ୍ଡ ହେବା ସହ ତାଙ୍କ ପରିବାରକୁ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବାକୁ ଅଡି ବସିବା ସହ ୬ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଯାଏଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହନ ଅଟକି ରହିଥିଲା । ଏ ସଂପର୍କରେ ଖବର ପାଇ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସନ୍ଧ୍ୟା ୮ଟାରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ବିଶ୍ୱନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
The post ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ appeared first on .